ପଞ୍ଚଦଶ ଅଧ୍ୟାୟ: ପୁରୁଷୋତ୍ତମ ଯୋଗ

ପୁରୁଷୋତ୍ତମ ଯୋଗ

ପୂର୍ବ ଅଧ୍ୟାୟରେ ଶ୍ରୀକୃଷ୍ଣ ବର୍ଣ୍ଣନା କଲେ ଯେ ଭୌତିକ ପ୍ରକୃତିର ତ୍ରିଗୁଣକୁ ଅତିକ୍ରମ କଲେ, ବ୍ୟକ୍ତି ଦିବ୍ୟ ଲକ୍ଷ୍ୟପ୍ରାପ୍ତି କରିଥାଏ । ସେ ଏହା ମଧ୍ୟ ପ୍ରକାଶ କଲେ ଯେ ଗୁଣାତୀତ ହେବାର ସର୍ବୋତ୍ତମ ମାର୍ଗ ହେଉଛି ଭଗବାନଙ୍କ ଅନନ୍ୟ ଭକ୍ତି । ଏହିପରି ଭକ୍ତି କରିବା ପାଇଁ ଆମକୁ ସଂସାରରୁ ମନକୁ ହଟାଇ ତାହାକୁ ଭଗବାନଙ୍କ ଠାରେ ଲଗାଇବାକୁ ପଡ଼ିବ । ତେଣୁ ସଂସାରର ସ୍ୱରୂପ ସମ୍ବନ୍ଧରେ ଜାଣିବା ଆବଶ୍ୟକ ଅଟେ । ଏହି ଅଧ୍ୟାୟରେ ଶ୍ରୀକୃଷ୍ଣ ସଂସାରର ଚିତ୍ରାତ୍ମକ ବର୍ଣ୍ଣନା କରୁଛନ୍ତି, ଯାହା ଅର୍ଜୁନଙ୍କୁ ଏଥିରୁ ନିବୃତ୍ତ ହେବା ପାଇଁ ସାହାଯ୍ୟ କରିବ । ସେ ଭୌତିକ ସଂସାରକୁ ଏକ ଓଲଟା ବା ଅଗ୍ରଭାଗ ନିମ୍ନକୁ ଥିବା ଏକ ଅଶ୍ୱତ୍‌ଥ ବୃକ୍ଷ ସହିତ ତୁଳନା କରିଛନ୍ତି । ଦେହଧାରୀ ଆତ୍ମା ବୃକ୍ଷର ଶାଖା ପ୍ରଶାଖାରେ ଉପରତଳ ହୋଇ ଇତସ୍ତତଃ ଭାବରେ ଜନ୍ମ ପରେ ଜନ୍ମ ଘୂରି ବୁଲୁଛି । ତଥାପି, ତା’ର ଉତ୍ପତ୍ତି କେଉଁଠାରୁ ହୋଇଛି, କେବେଠାରୁ ସେ ଅଛି ଏବଂ ତା’ର ବୃଦ୍ଧି କିପରି ହେଉଛି, ତାହା ସେ ବୁଝିପାରୁନାହିଁ । ବୃକ୍ଷର ମୂଳ ଉପରକୁ ରହିଛି, କାରଣ ଏହାର ସ୍ରୋତ ଭଗବାନ ଅଟନ୍ତି । ବେଦ ବର୍ଣ୍ଣିତ ଫଳଦାୟୀ କର୍ମ ଏହାର ପତ୍ର ସଦୃଶ । ବୃକ୍ଷଟି ମାୟାର ତିନିଗୁଣ ଦ୍ୱାରା ଜଳସେଚିତ ହେଉଅଛି । ଗୁଣଗୁଡ଼ିକ ଇନ୍ଦ୍ରିୟଭୋଗ ବସ୍ତୁ ସୃଷ୍ଟି କରନ୍ତି, ଯାହା ବୃକ୍ଷର କଢ଼ ପରି ଅଟନ୍ତି । ଏଗୁଡ଼ିକ ଅଙ୍କୁରିତ ହୋଇ ବାୟବୀୟ ମୂଳ ସୃଷ୍ଟି କରନ୍ତି, ଯାହା ବୃକ୍ଷକୁ ଅଧିକ ବୃଦ୍ଧି ଲାଭ କରିବାର ବିପଦ ସୃଷ୍ଟି କରିଥାଏ । ଏହି ଅଧ୍ୟାୟରେ, ଏହି ପ୍ରତୀକବାଦର ବିସ୍ତୃତ ବର୍ଣ୍ଣନା ମାଧ୍ୟମରେ ଏହି ଧାରଣାକୁ ସ୍ପଷ୍ଟ କରାଯାଇଛି, କିପରି ଦେହଧାରୀ ଆତ୍ମା ଏହି ବୃକ୍ଷରୂପୀ ମାୟିକ ଜଗତର ଗୁଣ ନ ଜାଣି କଷ୍ଟଭୋଗ କରିବା ସହିତ ତା’ର ବନ୍ଧନକୁ ଦୃଢ଼ କରିବାରେ ଲାଗିଛି । ଶ୍ରୀକୃଷ୍ଣ କହୁଛନ୍ତି, ବିରକ୍ତି ରୂପୀ କୁଠାରର ବ୍ୟବହାର କରି ଏହି ବୃକ୍ଷକୁ କାଟିବା ଉଚିତ୍ । ତାପରେ ଆମେ ବୃକ୍ଷର ମୂଳ ଖୋଜିବା ଆବଶ୍ୟକ, ଯାହା ସ୍ୱୟଂ ଭଗବାନ ଅଟନ୍ତି । ମୂଳକୁ ଠାବ କରି, ଏହି ଅଧ୍ୟାୟରେ ବର୍ଣ୍ଣନା କରାଯାଇ ଥିବା ଉପାୟରେ ଆମେ ତାଙ୍କର ଶରଣାଗତ ହେବା ଉଚିତ । ତଦ୍ୱାରା ଆମେ ଭଗବାନଙ୍କର ଦିବ୍ୟଲୋକ ପ୍ରାପ୍ତ କରିବା, ଯେଉଁଠାରୁ ପୁନର୍ବାର ଆମେ ଏହି ଭୌତିକ ଜଗତକୁ ଫେରି ଆସିବା ନାହିଁ ।

ତା’ପରେ ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି, କିପରି ସଂସାରରେ ସ୍ଥିତ ଆତ୍ମା, ତାଙ୍କର ନିତ୍ୟ କ୍ଷୁଦ୍ର ଅଂଶ ହୋଇଥିବାରୁ, ଦିବ୍ୟ ଅଟନ୍ତି । କିନ୍ତୁ ମାୟାର କବଳିତ ହୋଇ, ସେମାନେ ମନ ଏବଂ ପାଞ୍ଚ ଇନ୍ଦ୍ରିୟଙ୍କ ସହିତ ସଂଘର୍ଷ କରୁଛନ୍ତି । ସେ ବର୍ଣ୍ଣନା କରୁଛନ୍ତି, କିପରି ଦେହଧାରୀ ଜୀବ ଦିବ୍ୟ ହୋଇ ମଧ୍ୟ ଇନ୍ଦ୍ରିୟ ବିଷୟର ରସାସ୍ୱାଦନ କରେ । ମୃତ୍ୟୁ ସମୟରେ, ଆତ୍ମାର କିପରି ଏହି ଜନ୍ମର ମନ ଓ ଇନ୍ଦ୍ରିୟ ସହିତ ଅନ୍ୟ ଏକ ଶରୀରକୁ ଦେହାନ୍ତରଣ ହୁଏ, ସେ ଏଠାରେ ତାହା ମଧ୍ୟ ବର୍ଣ୍ଣନା କରିଛନ୍ତି । ଅଜ୍ଞାନୀ ବ୍ୟକ୍ତି ଆତ୍ମାର ଉପସ୍ଥିତିକୁ, ତାହା ଶରୀରରେ ଥିବା ସମୟରେ କିମ୍ବା ଶରୀର ତ୍ୟାଗ କରିବା ସମୟରେ, ଅନୁଭବ କରିପାରେ ନାହିଁ । କିନ୍ତୁ ଯୋଗୀମାନେ ତାଙ୍କର ଜ୍ଞାନଚକ୍ଷୁ ଏବଂ ଶୁଦ୍ଧ ମନରେ ତାହାର ଅନୁଭବ କରିପାରନ୍ତି । ସେହିପରି ଭଗବାନ ମଧ୍ୟ ତାଙ୍କ ସୃଷ୍ଟିରେ ରହିଛନ୍ତି, କିନ୍ତୁ ଜ୍ଞାନଚକ୍ଷୁରେ ହିଁ ତାଙ୍କୁ ଅନୁଭବ କରାଯାଇ ପାରିବ । ଶ୍ରୀକୃଷ୍ଣ ଏଠାରେ ପ୍ରକାଶ କରୁଛନ୍ତି, ସଂସାରର ସର୍ବତ୍ର ଉଦ୍‌ଭାସିତ ଭଗବାନଙ୍କର ଐଶ୍ୱର୍ଯ୍ୟ ମାଧ୍ୟମରେ ତାଙ୍କର ଉପସ୍ଥିତିକୁ ଆମେ କିପରି ହୃଦୟଙ୍ଗମ କରିପାରିବା । ଅଧ୍ୟାୟଟି କ୍ଷର, ଅକ୍ଷର ଏବଂ ପୁରୁଷୋତ୍ତମ ଶବ୍ଦର ବ୍ୟାଖ୍ୟା ସହିତ ଶେଷ ହୋଇଛି । ସଂସାରର ନଶ୍ୱର ଜୀବସବୁ କ୍ଷର ଅଟନ୍ତି । ଭଗବାନଙ୍କ ଦିବ୍ୟ ଲୋକର ମୁକ୍ତ ଆତ୍ମା ସବୁ ଅକ୍ଷର ଅଟନ୍ତି । ପୁରୁଷୋତ୍ତମ ହେଉଛନ୍ତି ପରମ ପୁରୁଷ ଭଗବାନ, ଯିଏ କି ଏହି ସଂସାରର ଅପରିବର୍ତ୍ତନୀୟ ଶାସକ ଏବଂ ପାଳକ ଅଟନ୍ତି । ସେ ଉଭୟ ନଶ୍ୱର ଏବଂ ଅବିନଶ୍ୱରଙ୍କ ଅନୁଭୂତିର ସୀମାତୀତ ଅଟନ୍ତି । ସେ ଆମ ସମସ୍ତଙ୍କ ଦ୍ୱାରା ଉପାସିତ ହେବା ଉଚିତ୍ ।

ପରମ ପୁରୁଷ ଭଗବାନ କହିଲେ: ସେମାନେ ଏକ ଅନାଦି ଅଶ୍ୱତ୍‌ଥ ବୃକ୍ଷ ବିଷୟରେ କହିଛନ୍ତି, ଯାହାର ମୂଳ ଉପରକୁ ଏବଂ ଶାଖାସବୁ ତଳକୁ ରହିଛି । ଏହାର ପତ୍ରଗୁଡ଼ିକ ବେଦର ମନ୍ତ୍ର ସବୁ ଅଟନ୍ତି । ଯେଉଁ ବ୍ୟକ୍ତି ଏହି ରହସ୍ୟକୁ ଜାଣେ ସେ ବେଦର ଜ୍ଞାତା ଅଟେ ।

ବୃକ୍ଷର ଶାଖାଗୁଡ଼ିକ ଉପରକୁ ଓ ତଳକୁ ବିସ୍ତୃତ ହୋଇଛି, ତିନିଗୁଣ ଦ୍ୱାରା ତାହାର ପ୍ରତିପୋଷଣ ହେଉଛି ଏବଂ ଇନ୍ଦ୍ରିୟର ବିଷୟଗୁଡ଼ିକ ଏହାର କୋମଳ ଅଙ୍କୁର ସଦୃଶ ଅଟନ୍ତି । ଏହି କୋମଳ ମୂଳ ନିମ୍ନଦିଗକୁ ପ୍ରସାରିତ ହୋଇ, ମନୁଷ୍ୟ ସ୍ୱରୂପରେ କର୍ମର ପ୍ରବାହ ସୃଷ୍ଟି କରୁଛି । ନିମ୍ନଦେଶରେ ଏହାର ମୂଳ ସବୁ ଶାଖାଯୁକ୍ତ ହୋଇ ସଂସାରରେ ମନୁଷ୍ୟର କର୍ମବନ୍ଧନ ସୃଷ୍ଟି କରେ ।

ଏହି ବୃକ୍ଷର ବାସ୍ତବ ସ୍ୱରୂପ କିମ୍ବା ଏହାର ଆରମ୍ଭ ବା ଅନ୍ତ କିମ୍ବା ତାର ନିତ୍ୟ ଅସ୍ଥିତ୍ୱ ବିଷୟରେ ସଂସାରରେ କେହି ଜାଣନ୍ତି ନାହିଁ । କିନ୍ତୁ ଏହି ଗଭୀର ମୂଳଯୁକ୍ତ ଅଶ୍ୱତ୍‌ଥ ବୃକ୍ଷଟିକୁ, ବୈରାଗ୍ୟର ତୀକ୍ଷଣ୍ କୁରାଢ଼ୀ ଦ୍ୱାରା ଛେଦନ କରିବାକୁ ପଡ଼ିବ । ତାପରେ ବ୍ୟକ୍ତିକୁ ଏହାର ଉତ୍ପତ୍ତି ସ୍ଥଳକୁ ଖୋଜିବାକୁ ପଡ଼ିବ, ଯିଏକି ସ୍ୱୟଂ ଭଗବାନ ଅଟନ୍ତି, ଯାହାଙ୍କଠାରୁ ବ୍ରହ୍ମାଣ୍ଡର କର୍ମ ପ୍ରବାହ ଅନାଦି କାଳରୁ ହେବାରେ ଲାଗିଛି । ତାଙ୍କର ଶରଣାଗତ ହେଲେ, ବ୍ୟକ୍ତି ଏହି ସଂସାରକୁ ପୁନର୍ବାର ଫେରି ନ ଥାଏ ।

ଯେଉଁମାନେ ମଦ ଏବଂ ମୋହରୁ ମୁକ୍ତ, ଯିଏ ଆସକ୍ତିରୂପକ ଶତ୍ରୁକୁ ଜୟ କରିଛି, ଯିଏ ସର୍ବଦା ଆତ୍ମା ଏବଂ ଭଗବାନଙ୍କ ଠାରେ ସ୍ଥିତ ରହନ୍ତି, ଯେଉଁମାନେ ଇନ୍ଦ୍ରିୟ ଉପଭୋଗର କାମନା ଠାରୁ ମୁକ୍ତ ହୋଇଛନ୍ତି, ଯିଏ ସୁଖ ଓ ଦୁଃଖର ଦ୍ୱୈତରୁ ଊର୍ଦ୍ଧ୍ୱରେ, ସେହିପରି ମୁକ୍ତ ବ୍ୟକ୍ତିଗଣ ମୋର ଦିବ୍ୟ ଲୋକ ପ୍ରାପ୍ତ କରନ୍ତି ।

ସୂର୍ଯ୍ୟ, ଚନ୍ଦ୍ର କିମ୍ବା ଅଗ୍ନି, କେହି ବି ମୋର ପରମ ଧାମକୁ ପ୍ରକାଶିତ କରିପାରିବେ ନାହିଁ । ସେହି ପରମ ଦିବ୍ୟ ଧାମକୁ ଗଲା ପରେ କୌଣସି ବ୍ୟକ୍ତି ଏହି ସଂସାରକୁ ପ୍ରତ୍ୟାବର୍ତ୍ତନ କରନ୍ତି ନାହିଁ ।

ଏହି ମାୟିକ ଜଗତର ଦେହଧାରୀ ଆତ୍ମା ମୋର ଚିରନ୍ତନ କ୍ଷୁଦ୍ର ଅଂଶ ଅଟନ୍ତି, କିନ୍ତୁ ଭୌତିକ ପ୍ରକୃତିର କବଳିତ ହୋଇ, ସେମାନେ ମନ ସହିତ ଛଅଟି ଇନ୍ଦ୍ରିୟଙ୍କୁ ନେଇ ସଂଘର୍ଷରତ ରହିଛନ୍ତି ।

ବାୟୁ ଯେପରି ସୁଗନ୍ଧକୁ ଗୋଟିଏ ଜାଗାରୁ ଅନ୍ୟତ୍ର ବହନ କରି ନେଇଥାଏ, ସେହିପରି ଦେହଧାରୀ ଆତ୍ମା ଯେତେବେଳେ ଗୋଟିଏ ଶରୀର ତ୍ୟାଗ କରି ଅନ୍ୟ ଗୋଟିଏକୁ ପ୍ରବେଶ କରେ, ମନ ଏବଂ ଇନ୍ଦ୍ରିୟ ଗୁଡ଼ିକୁ ନିଜ ସହିତ ବହନ କରିଥାଏ ।

ମନର ଚତୁଃପାଶ୍ୱର୍ରେ ବେଷ୍ଟିତ କର୍ଣ୍ଣ, ଚକ୍ଷୁ, ଚର୍ମ, ଜିହ୍ୱା ଏବଂ ନାସିକା ଆଦିର ଇନ୍ଦ୍ରିୟାନୁଭୂତିକୁ ଉପଯୋଗ କରି, ଦେହଧାରୀ ଆତ୍ମା ଇନ୍ଦ୍ରିୟ ବିଷୟଗୁଡ଼ିକର ଆସ୍ୱାଦନ କରେ ।

ଅଜ୍ଞାନୀମାନେ ଆତ୍ମା ଶରୀରରେ ନିବାସ କରିଥିବା ବେଳେ କିମ୍ବା ଇନ୍ଦ୍ରିୟ ବସ୍ତୁକୁ ଉପଭୋଗ କରୁଥିବା ବେଳେ କିମ୍ବା ଶରୀର ତ୍ୟାଗ କଲାବେଳେ ମଧ୍ୟ, ତାହାକୁ ଉପଲବ୍‌ଧି କରିପାରନ୍ତି ନାହିଁ । କିନ୍ତୁ ଯେଉଁମାନଙ୍କର ଚକ୍ଷୁ ଜ୍ଞାନଯୁକ୍ତ, ସେମାନେ ତାହାକୁ ଲକ୍ଷ୍ୟ କରିପାରନ୍ତି ।

ଶରୀର ମଧ୍ୟରେ ଆତ୍ମା ପ୍ରତିଷ୍ଠାପିତ, ଏହା ଚେଷ୍ଟାରତ ଯୋଗୀମାନେ ଜାଣିପାରନ୍ତି । କିନ୍ତୁ ଯେଉଁମାନଙ୍କର ଅନ୍ତଃକରଣ ଶୁଦ୍ଧ ନୁହେଁ, ସେମାନେ ଚେଷ୍ଟା କରି ମଧ୍ୟ ଏହା ଜାଣିପାରନ୍ତି ନାହିଁ ।

ଏହା ଜାଣ ଯେ ମୁଁ ସୌରମଣ୍ଡଳକୁ ଉଦ୍‌ଭାସିତ କରୁଥିବା ସୂର୍ଯ୍ୟଙ୍କ ପ୍ରକାଶ ପରି ଅଟେ । ଚନ୍ଦ୍ରର କିରଣ ଏବଂ ଅଗ୍ନିର ଉଜ୍ଜ୍ୱଳତା ମଧ୍ୟ ମୋ ଠାରୁ ଆସିଥାଏ ।

ମୁଁ ସଂସାରରେ ବ୍ୟାପ୍ତ ହୋଇ, ମୋ ଶକ୍ତି ଦ୍ୱାରା ସମସ୍ତ ପ୍ରାଣୀଙ୍କର ପୋଷଣ କରିଥାଏ । ମୁଁ ଚନ୍ଦ୍ର ହୋଇ, ସମସ୍ତ ବୃକ୍ଷଙ୍କ ମଧ୍ୟରେ ଜୀବନ ରସ ସଞ୍ଚାର କରେ ।

ମୁଁ ସମସ୍ତ ପ୍ରାଣୀଙ୍କର ଉଦରରେ ଜଠରାଗ୍ନିର ରୂପ ଧାରଣ କରିଥାଏ ଏବଂ ନିଶ୍ୱାସ ଓ ପ୍ରଶ୍ୱାସ ଦ୍ୱାରା ମିଳିତ ହୋଇ, ଚାରି ପ୍ରକାରର ଖାଦ୍ୟକୁ ହଜମ କରିଥାଏ ଏବଂ ଆତ୍ମସାତ କରିଥାଏ ।

ମୁଁ ସମସ୍ତ ପ୍ରାଣୀଙ୍କ ହୃଦୟରେ ବାସ କରେ । ମୋ ଠାରୁ ସ୍ମରଣଶକ୍ତି, ଜ୍ଞାନ ତଥା ବିସ୍ମରଣର ଉତ୍ପତ୍ତି ହୋଇଥାଏ । ଏକମାତ୍ର ମୁଁ ହିଁ ବେଦ ଦ୍ୱାରା ଜ୍ଞାତବ୍ୟ, ବେଦାନ୍ତର ପ୍ରଣେତା ତଥା ବେଦର ଅର୍ଥକୁ ଜାଣିଥିବା ବ୍ୟକ୍ତିତ୍ୱ ଅଟେ ।

ସୃଷ୍ଟିରେ ଦୁଇ ପ୍ରକାରର ଜୀବ ଅଛନ୍ତି: କ୍ଷର (ନଶ୍ୱର) ଏବଂ ଅକ୍ଷର (ଅବିନଶ୍ୱର) । ଭୌତିକ ଜଗତର ସମସ୍ତ ଜୀବ ନଶ୍ୱର ଅଟନ୍ତି । ମୁକ୍ତ ଜୀବମାନେ ଅବିନଶ୍ୱର ଅଟନ୍ତି ।

ଏତଦ୍‌ବ୍ୟତୀତ, ଜଣେ ପରମ ଦିବ୍ୟ ପୁରୁଷ ଅଛନ୍ତି, ସେ ଅବିନାଶୀ ପରମାତ୍ମା ଅଟନ୍ତି । ଯିଏ କି ଅପରିବର୍ତ୍ତନୀୟ ନିୟାମକ ଭାବରେ ତ୍ରିଲୋକରେ ବ୍ୟାପ୍ତ ରହନ୍ତି ଏବଂ ସମସ୍ତ ପ୍ରାଣୀଙ୍କୁ ପାଳନ କରନ୍ତି ।

ମୁଁ, ଏହି ନଶ୍ୱର ଜଗତ ଏପରି କି ଅବିନଶ୍ୱର ଆତ୍ମାମାନଙ୍କର ମଧ୍ୟ ଅନୁଭବାତୀତ ଅଟେ; ତେଣୁ ବେଦ ଏବଂ ସ୍ମୃତି ଆଦିରେ ମୁଁ ପରମ ଦିବ୍ୟ ପୁରୁଷ ଭାବରେ ଖ୍ୟାତ ।

ଯେଉଁମାନେ ନିଃସନ୍ଦେହ ଭାବରେ ମୋତେ ପରମ ଦିବ୍ୟ ପୁରୁଷ ରୂପରେ ଜାଣନ୍ତି, ସେମାନଙ୍କର ବାସ୍ତବିକ ପୂର୍ଣ୍ଣ ଜ୍ଞାନ ଅଛି । ହେ ଅର୍ଜୁନ! ସେମାନେ ପୂର୍ଣ୍ଣ ସମର୍ପିତ ହୋଇ ମୋର ଉପାସନା କରନ୍ତି ।

ହେ ନିଷ୍ପାପ ଅର୍ଜୁନ! ବେଦଶାସ୍ତ୍ରମାନଙ୍କର ଏହି ଗୂଢ଼ତମ ସିଦ୍ଧାନ୍ତ ମୁଁ ତୁମ ସମ୍ମୁଖରେ ପ୍ରକାଶ କଲି । ଏହାକୁ ହୃଦୟଙ୍ଗମ କରି ଜଣେ ବ୍ୟକ୍ତି ଜ୍ଞାନଦୀପ୍ତ ହୋଇ କୃତକୃତ୍ୟ ହୋଇଯିବ ।