Bhagavad Gita: Chapter 9, Verse 22

ଅନନ୍ୟାଶ୍ଚିନ୍ତୟନ୍ତୋ ମାଂ ଯେ ଜନାଃ ପର୍ଯ୍ୟୁପାସତେ ।
ତେଷାଂ ନିତ୍ୟାଭିଯୁକ୍ତାନାଂ ଯୋଗକ୍ଷେମଂ ବହାମ୍ୟହମ୍ ।।୨୨।।

ଅନନ୍ୟଃ - ଅନନ୍ୟ ଭାବରେ; ଚିନ୍ତୟନ୍ତଃ - ଚିନ୍ତାକରି, ଧ୍ୟାନକରି; ମାଂ- ମୋତେ; ଯେ - ଯେଉଁମାନେ; ଜନାଃ - ଲୋକମାନେ; ପର୍ଯ୍ୟୁପାସତେ - ଅନନ୍ୟ ଉପାସନା କରନ୍ତି; ତେଷାମ୍ - ସେମାନଙ୍କର; ନିତ୍ୟ - ସର୍ବଦା; ଅଭିଯୁକ୍ତାନାମ୍ - ଭକ୍ତିରେ ସ୍ଥିର; ଯୋଗ - ଆଧ୍ୟାତ୍ମିକ ସଂପଦ ଦେବା; କ୍ଷେମ - ଆଧ୍ୟାତ୍ମିକ ସଂପଦର ସୁରକ୍ଷା;ବହାମି - ବହନ କରେ; ଅହମ୍ - ମୁଁ ।

Translation

BG 9.22: ଯେଉଁମାନେ ସର୍ବଦା, ଅନନ୍ୟ ଭକ୍ତି ଯୁକ୍ତ ହୋଇ ମୋର ଧ୍ୟାନରେ ନିମଗ୍ନ ରୁହନ୍ତି, ଯାହାର ମନ ସର୍ବଦା ମୋ ଚିନ୍ତନରେ ବୁଡ଼ି ରହିଥାଏ, ମୁଁ ସେମାନଙ୍କ ପାଖରେ ଯାହା ନ ଥାଏ, ତାହା ପ୍ରଦାନ କରେ ଏବଂ ଯାହା ଥାଏ, ତାର ରକ୍ଷା କରେ ।

Commentary

ଜଣେ ମା, ତା’ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ, ଅସହାୟ ନବଜାତ ଶିଶୁକୁ, ତ୍ୟାଗ କରିବା କଥା କେବେ ବି ଚିନ୍ତା କରି ନ ଥାଏ । ଭଗବାନ ଆତ୍ମାର ଶାଶ୍ୱତ ମା’ ଅଟନ୍ତି । ଏହି ଶ୍ଲୋକରେ ଭଗବାନ, ତାଙ୍କ ପ୍ରତି ଅନନ୍ୟ ଭାବରେ ଶରଣାଗତ ଜୀବକୁ ମାତୃସୁଲଭ ଆଶ୍ୱାସନା ପ୍ରଦାନ କରିଛନ୍ତି । ଶ୍ଲୋକରେ ବ୍ୟବହୃତ ବହାମ୍ୟହମ୍ ଶବ୍ଦର ଅର୍ଥ, “ମୁଁ ନିଜେ ମୋ ଭକ୍ତର ପୋଷଣ ଦାୟୀତ୍ୱ ବହନ କରିଥାଏ”, ଯେପରି ଜଣେ ବିବାହିତ ପୁରୁଷ ତାଙ୍କ ସ୍ତ୍ରୀ ଏବଂ ସନ୍ତାନମାନଙ୍କର ଦାୟୀତ୍ୱ ବହନ କରିଥାଆନ୍ତି । ଭଗବାନ ଦୁଇଟି ପ୍ରତିଜ୍ଞା କରିଛନ୍ତି । ପ୍ରଥମଟି ହେଲା, ଯୋଗ - ଭକ୍ତଙ୍କ ପାଖରେ ନଥିବା ଆଧ୍ୟାତ୍ମିକ ସମ୍ପତ୍ତି ପ୍ରଦାନ କରିବା । ଦ୍ୱିତୀୟଟି ହେଲା, କ୍ଷେମ - ଭକ୍ତମାନଙ୍କ ପାଖରେ ଯାହା ବି ଆଧ୍ୟାତ୍ମିକ ସମ୍ପତ୍ତି ଅଛି, ତା’ର ରକ୍ଷା କରିବା ।

କିନ୍ତୁ ଏଥିପାଇଁ ସେ ରଖିଥିବା ସର୍ତ୍ତଟି ହେଲା ଅନନ୍ୟ ଭକ୍ତି ।  ମା’ ଓ ଶିଶୁର ଉପମା ମାଧ୍ୟମରେ ଏ ସମ୍ପର୍କରେ ଧାରଣା କରାଯାଇ ପାରେ । ଏକ ନବଜାତ ଶିଶୁ ତା’ର ମା ପ୍ରତି ପୂର୍ଣ୍ଣ ଶରଣାଗତ ଥାଏ, ଯିଏ କି ଶିଶୁର ସମସ୍ତ ଯତ୍ନ ନିଏ । ଶିଶୁଟିର ଯାହା କିଛି ବି ଆବଶ୍ୟକ ହୁଏ, ସେ କେବଳ କାନ୍ଦି ଥାଏ ଏବଂ ମା’ ତାର ଆବଶ୍ୟକତା ପୂର୍ଣ୍ଣ କରିଥାଏ । ସେ ତାକୁ ସଫା କରେ, ଖାଇବାକୁ ଦିଏ, ଗାଧୋଇ ଦିଏ ଇତ୍ୟାଦି । ଯେତେବେଳେ ପିଲାଟି ୫ବର୍ଷର ହୋଇଯାଏ, ସେ ନିଜର କିଛି କିଛି କାମ କରିବାକୁ ଆରମ୍ଭ କରେ ଏବଂ ମା’ ସେତିକି ପରିମାଣର ଦାୟୀତ୍ୱ କମ୍ କରିଦିଏ । ଶିଶୁଟି ଯେତେବେଳ ଯୁବକ ହୋଇଯାଏ ଏବଂ ନିଜର ସମସ୍ତ ଦାୟୀତ୍ୱ ନେବାରେ ଲାଗେ, ମା ତାର କର୍ତ୍ତବ୍ୟ ଆହୁରି କମ୍ କରିଦିଏ । ବର୍ତ୍ତମାନ ଯେତେବେଳ ବାପା ପଚାରନ୍ତି, “ପୁଅ କୁଆଡେ ଅଛି?” ମା ଉତ୍ତର ଦିଏ “ସେ ସ୍କୁଲ୍‌ରୁ ଫେରିନାହିଁ, ସାଙ୍ଗମାନଙ୍କ ସହିତ ସିନେମା ଦେଖିବାକୁ ଯାଇଥିବ ।” ବର୍ତ୍ତମାନ ପୁଅ ପ୍ରତି ମାର ଦୃଷ୍ଟିକୋଣ ପ୍ରାୟତଃ ଉଦାସୀନ ରହେ । କିନ୍ତୁ ସେହି ପିଲାଟି ଯେତେବେଳେ ପାଂଚ ବର୍ଷର ଥିଲା ଏବଂ ବିଦ୍ୟାଳୟରୁ ଫେରିବାରେ ଦଶ ମିନିଟ୍ ବିଳମ୍ବ ହୋଇଯାଉଥିଲା, “କ’ଣ ହେଲା? ବିଦ୍ୟାଳୟକୁ ଫୋନ୍ କରି ବୁଝିବା” ଭାବି ଉଭୟ ପିତାମାତା ବ୍ୟସ୍ତ ହୋଇ ଯାଉଥିଲେ - “ଛୋଟ ପିଲା । ରାସ୍ତାରେ କାଳେ କିଛି ଦୁର୍ଘଟଣା ହୋଇ ଥିବ କି?”

ଏହିପରି ଭାବରେ ଯେତିକି ମାତ୍ରାରେ ପିଲାଟି ତା’ର ନିଜ କାର୍ଯ୍ୟ କରିବାକୁ ଆରମ୍ଭ କରେ, ମା’ର ଦାୟୀତ୍ୱ ସେତିକି ମାତ୍ରାରେ କମ ହେଇଯାଏ । ଭଗବାନଙ୍କର ନିୟମ ଠିକ୍ ଏହିପରି । ଯେତେବେଳେ ଆମେ ନିଜ ବୁଦ୍ଧି ଅନୁସାରେ, ନିଜକୁ ନିଜ କାର୍ଯ୍ୟର କର୍ତ୍ତା ଭାବୁ ଏବଂ ନିଜର ଶକ୍ତି ଓ ଦକ୍ଷତା ଉପରେ ନିର୍ଭର କରୁ, ଭଗବାନ ତାଙ୍କ କୃପା ପ୍ରଦାନ କରନ୍ତି ନାହିଁ । ସେ କେବଳ ଆମ କର୍ମର ହିସାବ ରଖନ୍ତି ଏବଂ ତାର ଫଳ ଦିଅନ୍ତି । ଆମେ ଯେତେବେଳେ ଆଂଶିକ ଭାବେ ତାଙ୍କର ଶରଣାଗତ ହୋଇଥାଏ ଓ ଆଂଶିକ ଭାବେ ସଂସାର ଉପରେ ନିର୍ଭର କରିଥାଏ, ଭଗବାନ ମଧ୍ୟ ଆଂଶିକ ଭାବେ କୃପା ପ୍ରଦାନ କରନ୍ତି । ଆମେ ଯେତେବେଳେ ପୂର୍ଣ୍ଣତଃ ନିଜକୁ ଭଗବାନଙ୍କଠାରେ ସମର୍ପିତ କରିଦିଏ - “ମାମେକଂ ଶରଣଂ ବ୍ରଜ”, ଭଗବାନ ତାଙ୍କର ପୂର୍ଣ୍ଣ କୃପା ଆମକୁ ପ୍ରଦାନ କରନ୍ତି । ଆମ ପାଖରେ ଯାହା ଥାଏ, ତା’ର ରକ୍ଷା କରନ୍ତି ଏବଂ ଯାହା ଆମ ପାଖରେ ନ ଥାଏ, ତାହା ପ୍ରଦାନ କରନ୍ତି ।